
ଶରଣକୁଳ,୨୫।୯ (ସତ୍ୟ ନାରାୟଣ ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମ ପଞ୍ଚାୟତର ୧୨ନଂ ୱାର୍ଡ ( ପାଇକ ସାହି )ରେ ଜଗନ୍ନାଥ ମନ୍ଦିରର ପୂର୍ବ ପାର୍ଶ୍ବ ପାଚେରିକୁ ଲାଗିଥିବା ସାହିର ରାସ୍ତା ବେହାଲ ହୋଇପଡ଼ିଛି। ରାସ୍ତାଟି ଅଳ୍ପ ବର୍ଷା ହେଲେ ଏକ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଯାତାୟତରେ ସାହି ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଟିରେ ପାଣି ଜମି ରହୁଥିବା ବେଳେ ଛୋଟ ଛୋଟ ପିଲାମାନେ ସେଠାରେ ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ପାଣି ରହିଥିବା ରାସ୍ତାଟି ଖାଲ ହୋଇ ଥିବାରୁ ଟିକିଏ ବି ବର୍ଷା ହେଲେ ରାସ୍ତାଟିରେ ପାଣି ଜମି ରହୁଛି। କୌଣସି ପାର୍ଶ୍ଵକୁ ରାସ୍ତାରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ଯାତାୟାତରେ ସମସ୍ୟା ଉପୁଜୁଛି। ବିଶେଷ କରି ଅଙ୍ଗନବାଡ଼ି ଶିଶୁ ଓ ସ୍କୁଲ ପିଲାମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଏ ସମ୍ପର୍କରେ ସାହି ବାସିନ୍ଦା ନନ୍ଦିଘୋର ସରପଞ୍ଚ ତଥା ଓଡ଼ଗାଁ ବ୍ଳକ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେବଳ ଆଶ୍ୱାସନା ମିଳିବା ଛଡ଼ା ପଦକ୍ଷେପ ଶୂନ ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଗ୍ରାମର ଗ୍ରାମ ଦେବତୀ ମା’ବାଉତୀ ଦେବୀଙ୍କ ସମ୍ମୁଖସ୍ଥ ଡ୍ରେନ୍ ପୋତି ହୋଇଗଲାଣି। ଫଳରେ ଆବର୍ଜନା ପାଣି ରାସ୍ତା ଉପରକୁ ମାଡ଼ି ଆସୁଛି। ତାହାରି ଭିତରେ ଲୋକମାନେ ଯିବା ଆସିବା କରିବାକୁ ବାଧ ହେଉଛନ୍ତି । ଏହି ଡ୍ରେନ୍ଟିକୁ ପୁନରୁଦ୍ଧାର କରି ନୂତନ ଭାବେ ନିର୍ମାଣ କରିବା ପାଇଁ ଗତ ଦୁଇ ବର୍ଷ ପୂର୍ବେ କେତେକ ଗ୍ରାମବାସୀ ଲିଖିତ ଭାବେ ବିଡିଓ, ବ୍ଳକ୍ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଜଣାଇଥିଲେ। ଯଥା ଶୀଘ୍ର କାର୍ଯ୍ୟ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ପାଇଥିଲେ। ହେଲେ କାର୍ଯ୍ୟ ଘର ଶୂନ । ପଞ୍ଚାୟତ ତଥା ବ୍ଳକ୍ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଫଳରେ ପ୍ରତି ବର୍ଷ ବର୍ଷା ସମୟରେ ବର୍ଷା ପରେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ତେଣୁ ଯଥାଶୀଘ୍ର ପ୍ରଶାସନ ଏଥ୍ ପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
