
ଶରଣକୁଳ, ତା୦୬/୧୦(ସତ୍ୟ ନାରାୟଣ ମିଶ୍ର ):ଦିନକୁ ଦିନ ଜଙ୍ଗଲ ସମ୍ପଦ ହ୍ରାସ ପାଇବା ସହ ଜୈବ ବିବିଧତା ଧ୍ଵଂସ ଯୋଗୁ ବିଶ୍ଵରେ ଜଳବାୟୁର ଘୋର ପରିବର୍ତ୍ତନ ଘଟିବାରେ ଲାଗିଛି। ଏପରିସ୍ଥଳେ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ସହ ସବୁଜ ବଳୟ ସୃଷ୍ଟି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ପ୍ରତିବର୍ଷ ରାଜକୋଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବନକର୍ମଚାରୀ ଓ ଅସ୍ଥାୟୀ ବନ କର୍ମଚାରୀଙ୍କ ନିଯ଼ୁକ୍ତି ବୃଦ୍ଧି କରାଯାଉଛି। ହେଲେ କେତେଜଣ ବନକର୍ମଚାରୀଙ୍କ ଦାୟିତ୍ଵହୀନତା ଯୋଗୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଜୀବନ ସଙ୍କଟରେ ପଡିଛି ବୋଲି ଅଭିଯୋଗ ହୋଇଛି।
ବନ୍ୟଜନ୍ତୁମାନେ ଶିକାରୀ ଓ ଶିକାରୀ କୁକୁରଙ୍କ ଦ୍ଵାରା କେଉଁଠି ମୃତ୍ୟୁ ଲଭିଲେଣି ତ ଆଉ କେଉଁଠି ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରୁଥିବା ଦେଖିବାକୁ ମିଳିଛି। ଏଭଳି ବ୍ୟତିକ୍ରମ ପଞ୍ଚିରିଡ଼ା ବନାଞ୍ଚଳ ଅଧିନ ଭଣ୍ଡାର, ବାଣୀଝରୀ ଓ ଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ଘଟୁଥିବା ଦେଖିବାକୁ ମିଳୁଛ। ବିଭିନ୍ନ ସମୟରେ ଶିକାରୀମାନଙ୍କ ଦ୍ଵାରା ବନ୍ୟଜନ୍ତୁ ଶୀକାର କରାଯାଇ ସ୍ଥାନୀୟ ବଜାରରେ ଜଙ୍ଗଲି ମାଂସ ବିକ୍ରି କରାଯାଉଛି। ସେହି ମାଂସକୁ ବାହାରକୁ ଚାଲାଣ କରାଯାଉଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ଥାୟୀ ଓ ଅସ୍ଥାୟୀ ବନକର୍ମଚାରୀ ନିଯୁକ୍ତି ହୋଇଥିଲେ ହେଁ କର୍ମଚାରୀମାନେ ଆଦୈା ଜଙ୍ଗଲ ଅଞ୍ଚଳକୁ ଯାଉ ନାହାନ୍ତି ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୃଷ୍ଟି ଦେଉ ନାହାନ୍ତି। ଏହାର ସୁଯୋଗ ନେଇଁ ଶିକାରୀମାନେ ଅବାଧରେ ବନ୍ୟ ଜନ୍ତୁ ଶିକାର କରୁଛନ୍ତି।
ନିଖିଳ ଭାରତ ବନ୍ୟଜନ୍ତୁ ସଂରକ୍ଷର ସପ୍ତାହ ପାଳନ ପାଇଁ ପ୍ରଚୁର ଅର୍ଥ ଅନୁଦାନ ଆସୁଥିଲା ବେଳେ ତାହାକୁ ସଠିକ ଭାବେ ବ୍ୟୟ କରା ନ ଯାଇ କେବଳ କାଗଜ ପତ୍ରରେ କାମ ସାରି ଦିଆଯାଉଛି।
ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପାଟ୍ରୋଲିଂ ଭ୍ୟାନ ଓ ପାରାଷ୍ଟାଫ୍ ନିଯୁକ୍ତି ସହ ଇନ୍ଧନ ବାବଦରେ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲ ପାଟ୍ରୋଲିଂ ପରିବର୍ତ୍ତେ ଗାଡ଼ିଗୁଡିକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ସମ୍ପଦର ଉନ୍ନୟନ କାର୍ଯ୍ୟ ପାଇଁ ପ୍ରତିବର୍ଷ ନର୍ସରୀ, ଚାରା ରୋପଣ, ପଥପାଶ୍ଵ୍ଵର୍ ବନୀକରଣ, ପଥରବନ୍ଧ ଭଳି ନିର୍ମାଣ କାର୍ଯ୍ୟ ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ବ୍ୟାପକ ଭାବେ ତୋଷରପାତ କରାଯିବା ସହ ବନ ଓ ବନ୍ୟଜନ୍ତୁ ସୁରକ୍ଷା ଛାଡ଼ି ବନକର୍ମଚାରୀମାନେ ନିଜ ନିଜ କାମରେ ଲାଗିପଡ଼ିଛନ୍ତି। ତେବେ ଏ ନେଇ କୌଣସି ବନକର୍ମଚାରୀ ମୁହଁ ଖୋଲୁ ନ ଥିବା ବେଳେ ବନାଞ୍ଚଳ ଅଧିକାରୀଣୀଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳର ପରିବେଶ କର୍ମୀ ତଥା ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି।
