
ଶରଣକୁଳ, ୨୯/୦୯ (ଶ.ହି) :ଦୀର୍ଘଦିନ ହେଲା ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞଙ୍କ ଅଭାବ ଲାଗି ରହିଛି। ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ଖର୍ଚ୍ଚାନ୍ତ ହୋଇ କଟକ, ଭୁବନେଶ୍ବର ଆଦି ସ୍ଥାନକୁ ଚିକିତ୍ସା ପାଇଁ ଯାଉଛନ୍ତି। ସୂଚନା ଥାଉକି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁରୋଗ, ସ୍ତ୍ରୀ ରୋଗ ଏବଂ ଭେଷଜ ବିଶେଷଜ୍ଞ ପଦ ଖାଲିପଡ଼ିଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନରେ ପ୍ରାୟ ୩୬ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ରୋଗୀ ଏଠାରେ ଚିକିତ୍ସାସେବା ନପାଇ ଦୂରସ୍ଥାନକୁ ଯାଉଛନ୍ତି। ଅପରପକ୍ଷରେ ଏଠାରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ପଠାଯାଉଛି। ଜିଲାର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗରୀବ ଲୋକଙ୍କୁ ମାଗଣାରେ ଭୋଜନ ଦେବାର ବ୍ୟବସ୍ଥା ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ମାଗଣା ଭୋଜନ କେନ୍ଦ୍ରର ବ୍ୟବସ୍ଥା ହୋଇନାହିଁ । ଏହିସବୁ ବିଷୟକୁ ବିଚାରକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ପୂର୍ବତନ ଜିଲାପରିଷଦ ମଦନ ନନ୍ଦ, ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ସମାଜସେବୀ ପ୍ରମୋଦ କୁମାର ପ୍ରଧାନ, ମହିଳା ଗୋଷ୍ଠୀ ଦାବି କରିଛନ୍ତି।
