
ଶରଣକୁଳ ତା୧୪/୧୦(ଶ ହି ) ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରୀକରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋର ସମ୍ପର୍କରେ ଅଭିଯୋଗ କରିଥିଲେ। ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଘରୁ ଚୋରୀ କରିଥିଲେ। ଚୋରଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହି ଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।

ଆଜି ଶରଣକୁଳ ଡିଏସପି ଅଫିସ ପରିସର ମଧ୍ୟରେ ନୟାଗଡ଼ ଅତିରିକ୍ତ ପୁଲିସ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଡିଏସପି ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଆଇଆଇସି ସୁଜିତ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତ ସୁରେନ୍ଦ୍ର ନାହାକ(୧୯) ପିତା ଚନ୍ଦନ ଓ ରାଜା ନାହାକ (୨୦) ପିତା ଆରତ ସହିତ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ସୁନା ଚେନ-୧ଟି, ରୂପା ଝୁଣ୍ଟିଆ ୨, ସାମସଙ୍ଗ ଟିଭି ୧ଟି, ବଜାଜ ଗ୍ରାଇଁଡ଼ର ୧ଟି, ଶାଢ଼ୀ ୨ଟି, ପିତଳ ହଣ୍ଡା ଓ ପିତ୍ତଳ ବେଲା ଆଦି ସହ ଚୋରୀ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସମସ୍ତ ସାମ୍ବାଦିକ ମାନଙ୍କୁ ସହଯୋଗ ପାଇଁ ଶରଣକୁଳ ପୁଲିସ ତରଫରୁ ଆଇ ଆଇ ସି ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।
