
ଶରଣକୁଳ ତା୨୨/୧୦(ଶ.ହି.)ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରାମରେ ବୀଜେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ଆଜି ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଯାଇଛି। ମହାପ୍ରଭୁ ଦଧିବାମନଙ୍କର ଚଳନ୍ତି ପ୍ରତିମା ମଦନମୋହନ ବିମାନରେ ଆରୋହଣ କରି ଚାରିଜଣ ଚଉଧଳିଆଙ୍କ କାନ୍ଧରେ ଛତି, ତ୍ରାଶ, ଘଣ୍ଟ, ଘଣ୍ଟା, ଢେ଼ାଲ ମର୍ଦ୍ଦଳ ବଜାଇ ପାଟପଟୁଆରରେ ଗୋବର୍ଦ୍ଧନ ପୂଜା ନିମନ୍ତେ ନିକଟସ୍ଥ ଭଣ୍ଡାର ପାହାଡ଼ ନିକଟସ୍ଥ କୁସୁମୀ କୂଳକୁ ଯାଇଥିଲେ। ପୂର୍ବରୁ ମନ୍ଦିର ପିଅନ ସେଠାରେ ସ୍ଥାନକୁ ଲିପାପୋଛା କରି ରଖିଥିଲେ। ସେଠାରେ ପଞ୍ଚୋପଚାରରେ ଭବ୍ୟ ଭୋଗରାଗରେ ମହାପ୍ରଭୁ ଗିରି ଗୋବର୍ଦ୍ଧନଙ୍କର ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନାର ଭାର ମନ୍ଦିର ପୂଜକ ସମ୍ଭାଳିଥିଲେ।
ମହାପ୍ରଭୁ ଜଗନ୍ନାଥ ତାଙ୍କର କୃଷ୍ଣ ଅବତାରରେ ଗୋପ ବୃନ୍ଦାବନବାସୀ ମାନେ ଭୟରେ ଇନ୍ଦ୍ରଦେବତାଙ୍କର ପୂଜା କରୁଥିବା ଦେଖି ସେମାନଙ୍କୁ ଗିରି ଗୋବର୍ଦ୍ଧନଙ୍କର ପୂଜା କରିବାକୁ ପ୍ରବର୍ତ୍ତାଇଥିଲେ। ସେ କହିଥିଲେ ଗିରି ଗୋବର୍ଦ୍ଧନ ଆମ୍ଭ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇବା ସହ ଆମ୍ଭମାନଙ୍କୁ ସମସ୍ତ ପ୍ରକାରର ବନ୍ୟଜାତ ଦ୍ରବ୍ୟ ଯୋଗାଉଛନ୍ତି। ତା ସହ ବର୍ଷାର ଠାକୁର ହିସାବରେ ତୁମ୍ଭେମାନେ ଇନ୍ଦ୍ରଙ୍କୁ ସିନା ପୂଜା କରୁଛ ବାସ୍ତବରେ ବର୍ଷା ହେବା ପଛରେ ପର୍ବତମାନଙ୍କର ଅଧିକ ଦାନ ରହିଛି। ତେଣୁ ଆମ୍ଭେମାନେ ଗୋବର୍ଦ୍ଧନ ଗିରିଙ୍କର ପୂଜା କରିବା ଉଚିତ। ଫଳରେ ସମସ୍ତ ବ୍ରଜବାସୀ ଗିରି ଗୋବର୍ଦ୍ଧନଙ୍କର ପୂଜା କରିଥିଲେ। ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ସାତ ଦିନ ଯାଏ ମୂଷଳାଧାରରେ ବର୍ଷା କରାଇବା ସହ ଜନଜୀବନ ବ୍ୟତିବ୍ୟସ୍ତ କରି ପକାଇଲେ। ବ୍ରଜବାସୀ ତ୍ରାହିତ୍ରାହି ଡାକ ଛାଡ଼ିଲେ ଏବଂ ଏ ବିପଦରୁ ଉଦ୍ଧାର ପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କଲେ। କୃଷ୍ଣ ନିଜର ଅଲୌକିକ ଶକ୍ତି ବଳରେ ନିଜର କାଣି ଆଙ୍ଗୁଠି ଅଗ୍ରରେ ଗୋବର୍ଦ୍ଧନଙ୍କୁ ଟେକି ଧରି ଗାଈଗୋରୁ ଧନସମ୍ପତ୍ତି ସହ ସମସ୍ତ ବ୍ରଜବାସୀଙ୍କୁ ଗୋବର୍ଦ୍ଧନ ତଳେ ଆଶ୍ରୟ ଦେଇଥିଲେ। ଫଳରେ ସମସ୍ତେ ଇନ୍ଦ୍ରଙ୍କ କୋପରୁ ରକ୍ଷା ପାଇଥିଲେ। ଲୋକମାନେ ପର୍ବତର ଉପଯୋଗୀତା ସମ୍ପର୍କରେ ଅବଗତ ହୋଇ ସେହି ଦିନଠାରୁ ଗିରିପୂଜା ଆରମ୍ଭ କରିଥିଲେ। ଇନ୍ଦ୍ର କୃଷ୍ଣଙ୍କୁ ବୁଝିପାରି ସେ ସ୍ଵୟଂ ଭଗବାନ ବୋଲି ହୃଦୟଙ୍ଗମ କରି ଆସି ତାଙ୍କର ଶରଣ ପଶିଥିଲେ। ସେହି ଘଟଣାର ସ୍ମାରକୀ ରୂପରେ ମହାପ୍ରଭୁ ଦଧିବାମନ ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳପ୍ରତିପଦାରେ ଗିରିଗୋବର୍ଦ୍ଧନଙ୍କର ପୂଜା କରୁଛନ୍ତି।
ଗୋବର୍ଦ୍ଧନ ପୂଜା ପରେ ମହାପ୍ରଭୁ ନଗର ପରିକ୍ରମାରେ ହରିହରପୁର ଗ୍ରାମର ବଡ଼ଦାଣ୍ଡସାହି, ଚଷା ସାହି, ତଳସାହି ଆଦିକୁ ଯାଇ ଦ୍ଵାର ଭୋଗ ଖାଇଥିଲେ। ତତ୍ପରେ ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିରକୁ ଗମନ କରିଥିଲେ। ସେଠାରେ ଲଡ଼ୁବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ମା’ ପାର୍ବତୀଙ୍କ ମଦନମୋହନଙ୍କ ସହ ଗୋବର୍ଦ୍ଧନ ପୂଜାରେ ଭାଗ ନେଇଥିଲେ। ଭୋଗ ଅର୍ପଣ ପରେ ଆଳତି ହୋଇଥିଲା। ଆଳତି ପରେ ଦେବଦେବୀମାନେ ମିଶି ନଗର ପରିକ୍ରମାରେ ବାହାରି ଚାଳିଭୋଗ ପାଇଥିଲେ ଏବଂ ଭିକାରୀପଡ଼ାରେ ଦ୍ଵାରଭୋଗର ମଜା ନେଇ ମନ୍ଦିରକୁ ଫେରିଥିଲେ। ବିଳମ୍ବିତ ରାତ୍ରିରେ ଦଧିବାମନ ସ୍ଵ ମନ୍ଦିରକୁ ଫେରିଥିଲେ। ଭକ୍ତମାନେ ମହାପ୍ରଭୁଙ୍କର ଗୋବର୍ଦ୍ଧନ ପୂଜାର ମଜା ନେଇଥିଲେ। କାର୍ଯ୍ୟକ୍ରମକୁ କିଶୋର ନାୟକ ପରିଚାଳନା କରିଥିଲେ।
